Unknown

 

 

 

 

 

 

 

 

 

ଯଶୋଦା ଶୋକ ଚଉତିଶା

ହରପ୍ରିୟା ଦାସୀ(ହରିମାତା)

 

କାନ୍ଦି କାନ୍ଦି ନନ୍ଦ ରାଣୀ ।

କାହିଁ ଛାଡ଼ିଗଲୁ ମୁରଲୀପାଣିରେ କି କଲା ।

ଦଇବ ଆଣି ମୋ କୃଷ୍ଣ ରେ ।୧।

 

କ୍ଷୀରପାନ ଦେଲି ତୋତେ ।

କ୍ଷୁର ଦାନ ଦେଇଗଲୁ ତୁ ମୋତେ ରେ ।

କ୍ଷାରଇ ହୃଦୟଗତେ ମୋ କୃଷ୍ଣରେ ।୨।

 

ଗଲାଦିନ ଗଲୁ କହି ।

ଗଲେ ଚାରି ଦିନେ ଆସିବି ରହିହେ ।

ଗଲାରି ଅବଧି ସରି ମୋ କୃଷ୍ଣରେ ।୩।

 

ଘର କଲୁ ଘୋରବନେ ।

ଘନଶ୍ୟାମ ବିନୁ ନଜାଣେ ଆନରେ ।

ଘରେ ରହୁନାହିଁ ମନ ମୋ କୃଷ୍ଣରେ ।୪।

 

ନନ୍ଦ କରୁଥିଲେ ନାହିଁ ।

ନ ମାନି ରଥରେ ବସିଲୁ ଯାଇରେ ।

ନ ଦେଲୁ ପଛକୁ ଚାହିଁ ମୋ କୃଷ୍ଣରେ ।୫।

 

 

ଚିନ୍ତା ଜ୍ୱରେ ତନୁ କ୍ଷୀଣ ।

ଚିକଣ କାଳିଆ ଚନ୍ଦ୍ରବଦନରେ ।

ଚାହିଁ ବଞ୍ଚିଥିଲି ଦିନ ମୋ କୃଷ୍ଣରେ ।୬।

 

ଛାଇ କରିଥିଲି ତୋତେ ।

ଛାଡ଼ିଗଲା ଦିନୁ କାଟଇ ମୋତେ ରେ ।

ଛୁରୀ ଦାଢ଼ ଅବା କେତେ ମୋ କୃଷ୍ଣରେ ।୭।

 

ଜୀବ ଯିବା ବଡ଼ ସୁଖ ।

ଜୀବ ଥାଉଁ ଥାଉଁ ପାଇଲି ଦୁଃଖରେ ।

ଜଗତେ ହସିବେ ଲୋକ ମୋ କୃଷ୍ଣରେ ।୮।

 

ଝାଳ ଯାଉଥିଲେ ବହି ।

ଝରଇ ଲୋତକ ନୟନ ଦୁଇରେ ।

ଝରୁ ଝରୁ ଦିନ ସରୁନାହିଁ ମୋ କୃଷ୍ଣରେ ।୯।

 

ନିଷ୍ଠୁର ହୃଦୟ ତୋର ।

ନିରୀମାକ୍ଷି କରିଗଲୁ ଅପାରରେ ।

ନଥିଲା ମୋର ଗୋଚର ମୋ କୃଷ୍ଣରେ ।୧୦।

 

 

ଟେକରେ ବସାଇଥିଲୁ ।

ଟୋପରେ ପକାଇ ଅଲଗା କଲୁରେ ।

ଟାଣପଣ ଭାଙ୍ଗି ଦେଲୁ ମୋ କୃଷ୍ଣରେ ।୧୧।

 

ଠକଇ ଯାହାକୁ ବିହି ।

ଠକେ ଅପରାଧ କରୁଣା ଦେହୀରେ ।

ଠାବ ତାକୁ ମିଳଇ ମୋ କୃଷ୍ଣରେ ।୧୨।

 

ଡଗରାକୁ ସଙ୍ଗ କଲା ।

ଡଗରା ପେଶି ମୋ କୃଷ୍ଣଙ୍କୁ ନେଲାରେ ।

ଡକାବଜା ଦୁଃଖଦେଲା ମୋ କୃଷ୍ଣରେ ।୧୩।

 

ଢଳିଲା ସବୁ ଭରସା ।

ଢାଳେ ବିହିକଲା ଭଗାରିହସାରେ ।

ଢଳିଲା ନାହିଁ ଦୁର୍ଦ୍ଦଶା ମୋ କୃଷ୍ଣରେ ।୧୪।

 

ଅଦୃଷ୍ଟ ହିଁ ବଡ଼ ଲୋକ ।

ଅନ୍ଧରଲଉଡ଼ି ହୃଦପଦକ ।

ଆଣିଦେଲା ଏତେ ଦୁଃଖ ମୋ କୃଷ୍ଣରେ ।୧୫।

 

 

ତପେ ପାଇଥିଲି ହରି ।

ତର୍କିହି ବିଧାତା ହେଲା ଭଗାରିରେ ।

ବେନି ଚକ୍ଷୁ ନେଲା ଖୋଜି ମୋ କୃଷ୍ଣରେ ।୧୬।

 

ଥବିର କାଳକୁ ମୋର ।

ଥିଲା ଭାଲପଟେ ଲେଖା ମୋ କୃଷ୍ଣରେ ।

ଥାନରୁ ହେଲୁ ଅନ୍ତର ମୋ କୃଷ୍ଣରେ ।୧୭।

 

ଦିନେ ନ ଦେଖିଲେ ତୋତେ ।

ଦିନକ ବରଷ ଲାଗଇ ମୋତେ ରେ ।

କିବୋଲି ମୂର୍ଚ୍ଛିବିତୋତେ ମୋ କୃଷ୍ଣରେ ।୧୮।

 

ଧନୁର୍ଦ୍ଧର ବୀରପଣେ ।

ଧରି ନ ପାରନ୍ତି ଅସୁରଗଣେ ରେ ।

ଧନ ନେଲା ଏକା ଜଣେ ମୋ କୃଷ୍ଣରେ ।୧୯।

 

ନେଲାଦିନୁ ରାଜା କଂସ ।

ନ ସରଇ ମୋର ରାତ୍ର ଦିବସରେ ।

ନ କରଇ ଭୋକ ଶୋଷ ମୋ କୃଷ୍ଣରେ ।୨୦।

 

 

ପୂର୍ବେ ମହାପାପୀ ମୁହିଁ ।

ପୁଣ୍ୟ କରିଥିଲି କେଣିକି ଚାହିଁରେ ।

ପାତକୀ ଏଥର ମୁହିଁ ମୋ କୃଷ୍ଣରେ ।୨୧।

 

ଫାଟି ଯାଉଥାଏ ବୁକୁ ।

ଫରଚା ନୋହେ ମୁଁ ନନ୍ଦ ଆଗକୁ ରେ ।

ଫେଡ଼ି ନ କହେ ମୁଁ ତାଙ୍କୁ ମୋ କୃଷ୍ଣରେ ।୨୨।

 

ବଡ଼ ପୁଅ ଆଉ ନାହିଁ ।

ବୃଦ୍ଧକାଳେ ନନ୍ଦ ରଖିଲେ ଗାଈରେ ।

ବିପତ୍ତି ଏଥିରେ ନାହିଁ ମୋ କୃଷ୍ଣରେ ।୨୩।

 

ଭାଜିଲା ସବୁ ଭରସା ।

ଭଗବାନ କଲେ ଭଗାରି ହସାରେ ।

ଭାଜିନାହିଁ ଏ ଦୁର୍ଦ୍ଦଶା ମୋ କୃଷ୍ଣରେ ।୨୪।

 

ମରିବି ମହୁରା ଖାଇ ।

ମଲେ ଲୋକେ ମୋତେ ବାଛିବେ ନାହିଁରେ ।

ମଲା ସିନା ପୁଅ ପାଇଁ ମୋ କୃଷ୍ଣରେ ।୨୫।

 

 

ଯିବା ପବନ ମୋ ଅଛି ।

ଜୀବନ ନ ଯାଇ ପିଣ୍ଡେ ରହିଛିରେ ।

ଜଗତେ ବୋଲନ୍ତି ଛି ଛି ମୋ କୃଷ୍ଣରେ ।୨୬।

 

ରାମକୃଷ୍ଣ ବେନିଭାଇ ।

ରହିଲେ ମଥୁରା କଟକେ ଯାଇରେ ।

ରହିଲୁ ତୁ କେଉଁଠାଇ ମୋ କୃଷ୍ଣରେ ।୨୭।

 

ଲାହିଥିଲି ତୋର କାଟି ।

ଲାଭବେଳେ ମୋର କାଟିଲୁ ତଣ୍ଟିରେ ।

ଲୋତକେ ତିନ୍ତୁଛି ମାଟି ମୋ କୃଷ୍ଣରେ ।୨୮।

 

ବଳରାମ ସଙ୍ଗେ ଗଲୁ ।

ମାତା ପିତାଙ୍କୁ ସଙ୍ଗେ ନ ନେଲୁରେ ।

ବାଟରେ ବସାଇ ଗଲୁ ମୋ କୃଷ୍ଣରେ ।୨୯।

 

ସିନ୍ଧୁ ତରଙ୍ଗରେ ପଡ଼ି ।

ସରିଗଲି ସବୁ ସୁଖକୁ ଛାଡ଼ିରେ ।

ଶରୀର ଯାଉଛି ଝଡ଼ି ମୋ କୃଷ୍ଣରେ ।୩୦।

 

 

ସବୁ ସୁଖ ମୋର ଗଲା ।

ଶିରୀପରା ଦେଖୁ ଦେଖୁ ସରିଲାରେ ।

ସୁଭାଗ୍ୟ ଅନ୍ତର ହେଲା ମୋ କୃଷ୍ଣରେ ।୩୧।

 

ସ୍ୱପନ ଦେଖିଲି ମୁହିଁ ।

ସରସ୍ୱତୀ କୂଳେ ରହିଲୁ ଯାଇରେ ।

ସର ଲବଣୀ ନ କାଇ ମୋ କୃଷ୍ଣରେ ।୩୨।

 

ହରିହରି ବୋଲୁଥିଲେ ।

ହରିହରି ମୋତେ ଭସାଇ ଦେଲେ ରେ ।

ହଟହଟାରେ ରଖିଲେ ମୋ କୃଷ୍ଣରେ ।୩୩।

 

କ୍ଷଣେ ନ ଦେଖିଲେ ତୋତେ ।

କ୍ଷଣେ ହରିମାତା ଗାଇଲେ ଗୀତ ଯେ ।

କ୍ଷଣେ ନ ରହିଲେ ଏଥେ ମୋ କୃଷ୍ଣରେ ।୩୪।

 

ଭାବାର୍ଥ - (୧-୮) ନନ୍ଦ ରାଜାଙ୍କ ରାଣୀ ଯଶୋଦା କାନ୍ଦି କାନ୍ଦି ପୁତ୍ର କୃଷ୍ଣଙ୍କୁ ଝୁରୁଛନ୍ତି । ମୋ କୃଷ୍ଣରେ, ମୁରଲୀପାଣି, ମୋତେ ଛାଡ଼ି କୁଆଡ଼େ ଚାଲିଗଲୁ ? ଦଇବ ମୋତେ କେତେ କଷ୍ଟ ନ ଦେଲା ? ତୋତେ ମୁଁ କ୍ଷୀର ପାନ ଦେଲି । ତା’ ବଦଳରେ ତୁ କ୍ଷୁର (ଏକ ଅସ୍ତ୍ର) ଦାନ ଦେଲୁ । ହୃଦ ମଧ୍ୟରେ ତୋ କଥା ମୁଁ ଘାରି ହେଉଛି । ତୁ ଯେଉଁ ଦିନ ଏଠାରୁ ଗଲୁ, କହିଲୁ ଚାରି ଦିନରେ ଆସିବାକୁ । କୃଷ୍ଣରେ, ଅବଧି ସମୟ ଚାଲିଗଲାଣି । ତୁ ଫେରିଲୁ ନାହିଁ । ଘୋର ବନରେ ଘର କରି ରହିଗଲୁ । କୃଷ୍ଣବିନା ମୋ ମନ ଅନ୍ୟ କୌଣସିଥିରେ ଲାଗୁନାହିଁ । ଘର ଭଲ ଲାଗୁନାହିଁ ।

 

ମୋ କୃଷ୍ଣରେ, ପିତା ନନ୍ଦ ମନା କରୁଥିଲେ ସେଠାକୁ ଯିବା ପାଇଁ । ତାଙ୍କ କଥା ନ ମାନି ରଥରେ ଯାଇ ବସି ପଡ଼ିଲୁ । ଟିକିଏ ପଛକୁ ବି ଚାହିଁଲୁ ନାହିଁ । ସେଇ ଚିନ୍ତାରେ ମୋତେ ଜ୍ଵର ହୋଇ ଶରୀର କ୍ଷୀଣ ହୋଇଗଲାଣି । ମୋ କୃଷ୍ଣରେ, ତୋର ଚିକ୍କଣ କାଳିଆ ଚନ୍ଦ୍ରବଦନକୁ ଚାହିଁ ଦିନ କାଟୁଛି । ଖରା ତାପରୁ ଉଦ୍ଧାର ପାଇଁ ତୋତେ ଛାଇ କରିଥିଲି । ତୁ ଗଲା ଦିନରୁ ଖରାର ତାପକୁ ସହି ପାରୁନି । କୃଷ୍ଣରେ, ଛୁରୀର ଦାଢ଼ ବା କେତେ ? ସେଥିରେ ଜୀବନ ଯାଉ, ଚିନ୍ତା ନାହିଁ-। ଜୀବନ ଥାଉ ଥାଉ ଦୁଃଖ ପାଇବାଟା ଯନ୍ତ୍ରଣା ଦେଉଛି । ମୋର ଏ କଷ୍ଟ ଦେଖି ଜଗତ ଲୋକ ହସିବେ ।

 

ଭାବାର୍ଥ - (୯-୧୮) ମୋ କୃଷ୍ଣରେ, ତୋ ଦେହରୁ ଝାଳ ବହୁଥିଲେ, ମୋ ଦୁଇ ଆଖିରୁ ଲୁହ ଝରୁଥିଲା । ଏବେ ତୁ ଗଲାଦିନଠୁ ଲୁହ ଝରୁଛି । ଦିନ ସରୁନାହିଁ । କୃଷ୍ଣରେ, ତୋର ହୃଦୟ ବଡ଼ ନିଷ୍ଠୁର । ମୋତେ ବଡ଼ ନିରମାଖୀ କରିଗଲୁ । ତୁ ଏତେ ଦୁଃଖ ଦେବୁ ବୋଲି ମୁଁ ଭାବି ନ ଥିଲି-। ମୁଁ ତୋ ପାଇଁ କେଡ଼େ ଉଚ୍ଚ ଆଶା କରିଥିଲି । ମୋତେ ତୁ ଟେକ (ମୁଣ୍ଡ)ରେ ବସାଇଥିଲୁ । ଖାଲରେ ପକାଇ ଅଲଗା କରିଦେଲୁ । ମୋ ଟାଣପଣ ଭାଙ୍ଗି ଦେଲୁ ।

 

ମୋ କୃଷ୍ଣରେ, କାହାକୁ ମୁଁ ଠକିଥିଲି, ମୋତେ ବିଧାତା ଠକିଦେଲା । ଡଗରକୁ ସଙ୍ଗ କରି ମୋ କୃଷ୍ଣଙ୍କୁ ନେଇଗଲା । ଡକାବଜା କରୁଥିବା ଦୂତ ମୋତେ ଦୁଃଖ ଦେଲା । ମୋର ସବୁ ଭରସା ତୁଟିଗଲା । ବିଧାତା ମୋତେ ଭଗାରି ହସା କଲା । ମୋ କୃଷ୍ଣରେ, ଦୁଃଖଦୁର୍ଦ୍ଦଶା ଦୂର ହେଲା ନାହିଁ । ମୁଁ ଏବେ ଜାଣିଲି । ଅଦୃଷ୍ଟ ବା ଭାଗ୍ୟ ହିଁ ବଡ଼ । ମୋର ଅନ୍ଧ ଲଉଡ଼ି, ହୃଦୟ ପଦକ ମୋ ପାଇଁ କେତେ ଦୁଃଖ ଆଣିଦେଲା । କୃଷ୍ଣରେ କେତେ ତପସ୍ୟା କରି ମୋ ଧନ ବନମାଳୀକୁ ପାଇଥିଲି । କପଟ କରି ବିଧାତା ଭଗାରି ହସା କଲା । ଦୁଇ ଚକ୍ଷୁକୁ ଖୋଳି କରି ନେଇଗଲା । କୃଷ୍ଣରେ, ଏ ବୃଦ୍ଧାକାଳରେ ଏମିତି କଷ୍ଟ ଭୋଗିବାକୁ ମୋ କପାଳରେ ଲେଖାଥିଲା ? ମୋ ପାଖରୁ ଅନ୍ତର ହୋଇଗଲୁ । ମୋ ଦୁଃଖୀ ସଙ୍ଖାଳିରେ, ଦିନେ ତୋତେ ନ ଦେଖିଲେ, ଦିନଟାଏ ବର୍ଷ ପରି ଲାଗୁଥାଏ । ତୋତେ କ’ଣ ବୋଲି ମୂର୍ଚ୍ଛିବି ?

 

ଭାବାର୍ଥ- (୧୯-୨୭) ମୋ କୃଷ୍ଣରେ, ତୋର ଧନୁର୍ଦ୍ଧର, ବୀରପଣ ସହିତ ଅସୁରଗଣ ସମାନ ହେଲେ ନାହିଁ । ଜଣେ ଅସୁର ହୋଇ ତୋତେ କଂସ ନେଇଗଲା । ସେ .ତୋତେ ନେଲା ଦିନରୁ ମୋର ରାତିଦିନ ସରୁନାହିଁ । ଭୋକ, ଶୋଷ ହେଉନାହିଁ । ମୋ କୃଷ୍ଣରେ, ପୂର୍ବେ ମୁଁ ମହାପାପୀ ଥିଲି । କୁଆଡ଼େ ଚାହିଁ ପୁଣ୍ୟ କରିଥିଲି କେଜାଣି, ମୁଁ ଏବେ ପାତକୀ ହୋଇଛି । ମୋ ଧନରେ, ତୋତେ ଝୁରି ଝୁରି ମୋ ବୁକୁ ଫାଟିଯାଉଛି । ନନ୍ଦରାଜାଙ୍କ ଆଗକୁ ମୁଁ ଭରସି ଯାଇପାରୁ ନାହିଁ । ତାଙ୍କୁ କୌଣସି କଥା ଫେଡ଼ି କହିପାରୁନାହିଁ ।

 

ମୋ କୃଷ୍ଣରେ, ବଡ଼ ପୁଅ ଏବେ ପାଖରେ ନାହିଁ । ବୃଦ୍ଧ କାଳରେ ନନ୍ଦ ଗାଈ ରଖିଲେ । ବିପତ୍ତି ଏଥିରେ ନାହିଁ । ଧନରେ ତୋତେ ଆଶ୍ରା କରି ରହିଥିଲି । ସବୁ ଭରସା ଭାଙ୍ଗିଗଲା । ଭଗବାନ ମୋତେ ଭଗାରି ହସା କଲେ । ମୋ କପାଳରୁ ଦୁର୍ଦ୍ଦଶା ହଟିନାହିଁ । ମୋ କୃଷ୍ଣରେ, ତୋ ବିନା ମୁଁ ଆଉ ବଞ୍ଚିପାରିବି ନାହିଁ । ମହୁରା ଖାଇ ନିଶ୍ଚୟ ମରିଯିବି । ମୋତେ ଏଥିପାଇଁ କେହି ନିନ୍ଦା କରିବେ ନାହିଁ ଓଲଟି ପୁଅ ପାଇଁ ମଲା ବୋଲି କହି ସମବେଦନା ଜଣାଇବେ । ମୋର ଜୀବନ ବା କେତେ ଦିନ ? ଯିବା ପବନ ଯାହା ମୋର ଅଛି । ଜୀବନ ନ ଯାଇ ପିଣ୍ଡଟା ରହିଛି । ଜଗତରେ ମୋତେ ଛି ଛି କହୁଛନ୍ତି । ରାମକୃଷ୍ଣ ଦୁଇଭାଇ ଏବେ ମଥୁରା କଟକରେ ଯାଇ ରହିଛନ୍ତି ।

 

ଭାବାର୍ଥ - (୨୮-୩୪) ମୋ କୃଷ୍ଣରେ, ଶିଶୁବେଳେ ତୋର ନାଭି (ଲାହି) କାଟିଥିଲି । ବଡ଼ ହେଲାପରେ ତୁ ମୋର ତଣ୍ଟି କାଟି ଦେଲୁ । ମୋ ଲୁହରେ ମାଟି ତିନ୍ତିଯାଉଛି । ବଳରାମକୁ ସାଙ୍ଗରେ ନେଇଗଲୁ ଅଥଚ ପିତାମାତାଙ୍କୁ ସଙ୍ଗରେ ନେଲୁ ନାହିଁ । ବାଟରେ ବସାଇ ଦେଇଗଲୁ ।

 

ମୋ କୃଷ୍ଣରେ, ସମୁଦ୍ର ତରଙ୍ଗରେ ପଡ଼ି ମୁଁ ଭାସିଯାଉଛି । ମୋ ସୁଖ ସବୁ ସରିଗଲା । ସୌଭାଗ୍ୟ ଅନ୍ତର ହୋଇଗଲା । ମୁଁ ସ୍ୱପ୍ନରେ ଦେଖିଲି, ତୁ ସରସ୍ୱତୀ କୂଳରେ ସରଲବଣୀ ନ ଖାଇ ରହିଛୁ । ମୋ କୃଷ୍ଣରେ, ତୋତେ ସମସ୍ତେ ହରି ହରି ବୋଲୁଥିଲେ । ହରି ମୋତେ ଭସାଇ ଦେଲେ-। ମୋତେ ହଟହଟାରେ ରଖିଲେ । ଧନରେ, ତୋତେ ଘଡ଼ିଏ ନ ଦେଖିଲେ ମୋ ହୃଦୟ ଅଥୟ ହୋଇଯାଏ । ହରି ମାତା ଏ ଗୀତ ଲେଖିଲେ ।